Top News

ଦିଲ୍ଲୀ ଯାତ୍ରା କଲେ ସୁନାବେଡ଼ାର ଭୁଞ୍ଜିଆ ଦମ୍ପତ୍ତି।

ନୂଆପଡା, ୨୧/୧ (ମାରାଗୁଡ଼ା ଏକ୍ସପ୍ରେସ)
ବିକାଶର ବହୁ ଦୂରରେ ଥିବା ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ଭୁଞ୍ଜିଆ ଦମ୍ପତ୍ତିଙ୍କୁ ନେଇ ସବୁ ଆଡେ ଏବେ ଚର୍ଚ୍ଚା। ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ରାଜ ଅତିଥି ହେବେ ସୁନାବେଡାର ଭୁଜବଲ ଭୁଞ୍ଜିଆ ଓ ତାଙ୍କ ପତ୍ନୀ କୁଞ୍ଜବାଇ ଭୁଞ୍ଜିଆ। ଆଜି ନୂଆପଡ଼ାରୁ ରାୟପୁର ଓ ସେଠାରୁ ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିବେ ଏହି ଭୁଞ୍ଜିଆ ଦମ୍ପତ୍ତି। ନିଜର ପରମ୍ପରା ଅନୁଯାୟୀ ଖାଲି ପାଦରେ ବାହାରିଛନ୍ତି ଭୁଜବଲ ଓ ତାଙ୍କ ପତ୍ନୀ। ଦିଲ୍ଲୀ ଗସ୍ତର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରୁଥିବା ବେଳେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ବିଭାଗର ଅଧିକାରୀ ହିମାଂଶୁ ମହାପାତ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗାଇଡ଼ ଅଧିକାରୀର ଦାୟିତ୍ୱ ଦିଆଯାଇଛି। ରାଜ ଅତିଥି ପାଇଁ ଦିଲ୍ଲୀରୁ ଡାକରା ଆସିବାର ଦିନଠୁ ଅଞ୍ଚଳରେ ସମସ୍ତେ ଖୁସି ଅଛନ୍ତି। ତାଙ୍କର ଏହି ଦିଲ୍ଲୀ ଗସ୍ତ ସମୟରେ ଭୁଞ୍ଜିଆ ଦମ୍ପତ୍ତି ମହାମୟୀମ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟସୂଚୀ ଥିବା ଜଣା ପଡିଛି। ମାଣ୍ଡିଆ ପିଠା, ଗୁର୍ଜି , ବାଜରା ଆଦିରୁ ପ୍ରସ୍ତୁତ କିଛି ଆଦିବାସୀ ବ୍ୟଞ୍ଜନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭୁଜବଲ ଓ ତାଙ୍କ ପତ୍ନୀ  ଦେବେ ବୋଲି ଜଣା ପଡିଛି। ଆମ ପାଇଁ ଏହା ଏକ ଖୁସିର କଥା ଯେ ଆମ ଦୁର୍ଗମ ଅଞ୍ଚଳରୁ ଦିଲ୍ଲୀ ଦରବାରରେ ରାଜ ଅତିଥି ହେବାର କାହାକୁ ସମ୍ମାନ ମିଳୁଛି,ଏହା ସମସ୍ତଙ୍କ ପାଇଁ ଗୌରବର କଥା ବୋଲି କହିଛନ୍ତି ସୁନାବେଡାର ଅଧିବାସୀମାନେ। 
Previous Post Next Post