ନୂଆପଡ଼ା, ୧୬/୧ (ମାରାଗୁଡ଼ା ଏକ୍ସପ୍ରେସ)
ପତୋରା ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପ ପାଣି ଆବଣ୍ଟନକୁ ନେଇ ଉପର ମୁଣ୍ଡ ଚାଷି ଓ ତଳ ମୁଣ୍ଡ ଚାଷି ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏହି ଶାନ୍ତି କମିଟି ବୈଠକରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ଜିଲ୍ଲାପାଳ , ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ। କଂଗ୍ରେସର ଜିଲ୍ଲା ସଭାପତି ଘାଷିରାମ ମାଝୀ , ଆଇନଜୀବୀ ବିଶ୍ୱମଣି ପାଣିଗ୍ରାହୀ ଓ ଅନକେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଉଭୟ ମୁଣ୍ଡର ଚାଷୀ ନିଜ ନିଜର ସମସ୍ୟା ବିଷୟରେ ଶାନ୍ତି କମିଟି ସମ୍ମୁଖରେ ଉପସ୍ଥାପନା କରିଥିଲେ। ସୂଚନା ମତେ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ମୋଟ ୨୦ ଟି ପାଣି ପଞ୍ଚାୟତ ରହିଅଛି। ଉପର ମୁଣ୍ଡ ଚାଷିଙ୍କ ଦାବି ହେଲା ରବି ଫସଲ ପାଇଁ ପ୍ରତ୍ୟେକ ବର୍ଷ ଜିରୋ ହେଡରୁ ପାଣି ଛଡା ଯାଉ ଅନ୍ୟପଟେ ତଳ ମୁଣ୍ଡ ଚାଷିଙ୍କ ଦାବି ହେଲା ରୋଟେଶନ ହିସାବରେ ୬ ରୁ ୧୬ ପାଣି ପଞ୍ଚାୟତକୁ ପାଣି ଯୋଗାଇ ଦିଆଯାଉ।ବୈଠକରେ ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଥିବା ବେଳେ ପାଣି ପଞ୍ଚାୟତ ନିର୍ବାଚନ ଅଗାମୀ ଦୁଇ ମାସ ମଧ୍ୟରେ ହେବା କଥାରେ ଉଭୟ ମୁଣ୍ଡର ଚାଷି ସହମତି ପ୍ରକାଶ କରିଥିଲେ।ପାଣି ଛାଡିବା କଥାରେ ମନ୍ତ୍ରୀ ଢୋଲକିଆ ବୈଠକରେ ଉପସ୍ଥିତ ଉଭୟ ମୁଣ୍ଡର ଚାଷିଙ୍କୁ କିଛି ସମାଧାନର ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ ଢୋଲକିଆ ତିନୋଟି ପ୍ରସ୍ତାବ ବୈଠକରେ ଉପସ୍ଥାପନା କରିଥିବା ବେଳେ ଉପର ମୁଣ୍ଡ ଚାଷୀଙ୍କୁ ପ୍ରସ୍ତାବ ବିଷୟରେ ଅବଗତ କରାଇବୁ ବୋଲି ଉପର ମୁଣ୍ଡ ଚାଷି ନେତା ବୈଠକରେ କହିଥିଲେ। ଆସନ୍ତା କାଲି ଉପର ମୁଣ୍ଡର ଚାଷି ମାନଙ୍କ ଧାରଣା ସ୍ଥଳକୁ ମନ୍ତ୍ରୀ ଯାଇ ଆଲୋଚନା କରିବେ ବୋଲି କହିଛନ୍ତି। ଅନ୍ୟପଟେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ତଳ ମୁଣ୍ଡ ଚାଷି ଆସନ୍ତା କାଲି ଜାତୀୟ ରାଜପଥ ଅବରୋଧ କରିବେ ବୋଲି ତଳ ମୁଣ୍ଡ ଚାଷି ନେତା ପ୍ରକାଶ କରିଛନ୍ତି ।