Top News

ସାହାଯ୍ୟ ସେନାର ସହଯୋଗରେ ଘରକୁ ଫେରିଲେ ନିଖୋଜ ଦାଦନ ଶ୍ରମିକ

ନୂଆପଡ଼ା, ୧୨/୩ (ଦର୍ଶନ ନ୍ୟୁଜ), ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ମାକରବିଲ୍ଲି ଗାଁର ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିବା ଦାଦନ ଶ୍ରମିକ ଭଜନଲାଲ ବାଗ (୩୫) ବାଲେଶ୍ଵର ଜିଲ୍ଲା ଜଳେଶ୍ବରରୁ ଉଦ୍ଧାର ହୋଇଛନ୍ତି। ସୂଚନା ମତେ ଭଜନଲାଲ ନିଜ ପେଟ ପୋଷିବା ପାଇଁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ଭଜନଲାଲଙ୍କୁ କାମ କରାଇବା ପାଇଁ ଆନ୍ଧ୍ରପ୍ରଦେଶର ପାରେଲ ସ୍ଥିତ ଏକ ଇଟା ଭାଟିକୁ ନେଇଥିଲା। ଇଟା ଭାଟିରେ କିନ୍ତୁ ନିଜର ଶାରୀରିକ ଅସୁସ୍ଥତା ପାଇଁ ଭଜନଲାଲ କାମ କରିପାରିନଥିଲେ। ଅଗ୍ରୀମ ନେଇଥିବା ୩୫ ହଜାର ଟଙ୍କା ଫେରାଇଲେ ଭଜନଲାଲଙ୍କୁ  ଛାଡ଼ିବି ବୋଲି କହିଥିଲେ ଇଟା ଭାଟି ମାଲିକ। ଗାଁରୁ ଜଣେ ଜଣେ ବ୍ୟକ୍ତି ଟଙ୍କା ନେଇ ଇଟା ଭାଟି ମାଲିକକୁ ଦେବା ପରେ ଭଜନଲାଲଙ୍କୁ ଧରି ଗତ ୫ ତାରିଖରେ ଆରଙ୍ଗଲ ରେଳ ଷ୍ଟେସନରୁ ବିଶାଖାପାଟଣାକୁ ଆସିଥିଲେ। ସେଠାରୁ ଅନ୍ୟ ଏକ ଟ୍ରେନ ସାହାଯ୍ୟରେ କଣ୍ଟାବାଞ୍ଜି ଆସିବା ପାଇଁ ଓଲ୍ହାଇ ଥିବା ବେଳେ ଭଜନଲାଲ ଭୁଲରେ ଅନ୍ୟ ଏକ ଟ୍ରେନରେ ଚଢି ଯାଇଥିଲେ।ଭଜନଲାଲ ମାନସିକ ଭାବରେ ସୁସ୍ଥ ନ ଥିବା ବେଲେ ଜଳେଶ୍ବର ଷ୍ଟେସନରେ ଓଲ୍ହାଇ ଏଣେ ତେଣେ ବୁଲୁଥିଲେ। କିଛି ଯୁବକ ଭଜନଲାଲଙ୍କ ଆଧାର କାର୍ଡ ଦେଖି ବୋଡେ଼ନ ବ୍ଲକରେ ତାଙ୍କ ଘର ବୋଲି ଜାଣିବାକୁ ପାଇଥିଲେ। ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ସେନା ସଭାପତି ବେଣୁଧର ଜଗତଙ୍କ ସହିତ ଜଳେଶ୍ବରର ଯୁବକ ମାନେ ଗତ ୧୦ ତାରିଖରେ  ଯୋଗାଯୋଗ କରିଥିଲେ। ବେଣୁଧର ବାଲେଶ୍ଵର ଶ୍ରମ ଅଧିକାରୀଙ୍କ ସହିତ କଥା ବାର୍ତ୍ତା କରିବାରୁ ଆଜି ବରଗଡ ପର୍ଯ୍ୟନ୍ତ ଭଜନଲାଲଙ୍କୁ ଆଣି ଦେଇଥିଲେ। ସାହାଯ୍ୟ ସେନା ସଭାପତି ଆଜି ବରଗଡ଼ ଯାଇ ଭଜନଲାଲଙ୍କୁ ନୂଆପଡା ଆଣିଛନ୍ତି। ନୂଆପଡା ବସ ଷ୍ଟାଣ୍ଡରେ ଶ୍ରମ ନିରୀକ୍ଷକ ଜୟନ୍ତ ପଣ୍ଡା ପହଞ୍ଚି ଭଜନଲାଲଙ୍କ ଠାରୁ ସବୁ ଶୁଣି ଦାଦନ ସର୍ଦ୍ଦାର ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା କହିଛନ୍ତି।ନିଜର ଭିଟା ମାଟିକୁ ଫେରି ଭଜନଲାଲ ଖୁସି ଥିବା ବେଳେ ସାହାଯ୍ୟ ସେନା ସଭାପତିଙ୍କ କାମକୁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।
Previous Post Next Post