ନୂଆପଡ଼ା ଠାରୁ ୧୦ କିଲୋମିଟର ଦୂର ଦର୍ଲ୍ଲିମୁଣ୍ଡା ପଞ୍ଚାୟତ ଦୈହେନପଡାର ଗୋବିନ୍ଦ ସାହୁଙ୍କ ବଗିଚାର ଲାଲ ଟହ ଟହ ଷ୍ଟ୍ରବେରୀ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୋବିନ୍ଦ ସାହୁ ୭ ଏକର ଜମିରେ ଅନେକ ଫଳ ଚାଷ କରିଥିବା ବେଳେ ଷ୍ଟ୍ରବେରୀ ଓ ପାକଚିଓ ଶାଗ ଏବେ ତାଙ୍କ ବଗିଚାର ସୌନ୍ଦର୍ଯ୍ୟ ଵୃଦ୍ଧି କରିଛି। ଗୋବିନ୍ଦ ସାହୁ ନିଜେ ଷ୍ଟ୍ରବେରୀ ଚାଷ ବିଷୟରେ ଇଣ୍ଟରନେଟରୁ ଅଧ୍ୟୟନ କରିବା ସହିତ ତାର ଚାଷ ପ୍ରଣାଳୀ ଶିଖିଥିଲେ। ସହକାରୀ କୃଷି ଅଧିକାରୀ ସୁଧାଂଶୁ ସାହୁ ତାଙ୍କୁ ବିଭିନ୍ନ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
ନିଜସ୍ୱ ପ୍ରଚେଷ୍ଟା ଓ ନିଜସ୍ୱ ଉଦ୍ୟମରେ ନୂଆପଡା ପରି ଏକ ଉପାନ୍ତ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ କରି ଗୋବିନ୍ଦ ନିଜକୁ ଏକ ସଫଳ ଚାଷି ରୂପେ ପ୍ରତିପାଦିତ କରିପାରିଛନ୍ତି। ଯାହାକି ଜିଲ୍ଲାର ଅନ୍ୟ ଚାଷି ମାନଙ୍କୁ ଅଣ ପାରମ୍ପରିକ ଚାଷ କରିବା ନିମନ୍ତେ ଉତ୍ସାହ ବୃଦ୍ଧି କରିବାରେ ସହାୟକ ହେବ।ଗୋବିନ୍ଦ ସାହୁଙ୍କ ନିଜର ଏକ ଫଳ ଦୋକାନ ମଧ୍ୟ ଥିବାରୁ ଷ୍ଟ୍ରବେରୀ ର ବଜାରିକରଣ ପାଇଁ ଅସୁବିଧା ହେଉ ନ ଥିବା ସେ କହିଛନ୍ତି। ତାଙ୍କ ବଗିଚାରେ ଷ୍ଟ୍ରବେରୀ ଛଡା ମିଠା ମକା,ପିଜୁଳି,ଆମ୍ବ ପରି ଅନେକ ଫଳ ଚାଷ କରିଛନ୍ତି।ସତରେ ଗୋବିନ୍ଦ ପାଲଟିଛନ୍ତି ଅଞ୍ଚଳର ଜଣେ ସଫଳ ଚାଷିର ଉଦାହରଣ।