ନୂଆପଡ଼ା,୧୫/୧(ମାରାଗୁଡ଼ା ଏକ୍ସପ୍ରେସ)
ଆଜି ନୂଆପଡ଼ାର କ୍ରୀଡା ଓ ସାଂସ୍କୃତିକ ଉତ୍ସବ ପଲ୍ଲୀଶ୍ରୀ ମେଳାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମନ୍ତ୍ରୀ ରୀତା ସାହୁ ପଲ୍ଲୀଶ୍ରୀ ମେଳାର ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ।ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସହାୟତାରେ ଷ୍ଟ୍ରବେରୀ ଚାଷ କରିଥିବା ସୁନାବେଡାର ଚାଷି ମାନେ ମଧ୍ୟ ପଲ୍ଲୀଶ୍ରୀ ମେଳାରେ ଷ୍ଟଲ ପକାଇଛନ୍ତି। ମନ୍ତ୍ରୀଙ୍କର ନଜର ଯେତେବେଳେ ଏହି ଷ୍ଟଲ ଉପରେ ପଡିଥିଲା ଆଉ ଷ୍ଟଲରେ ବିକ୍ରି ହେଉଥିବା ଷ୍ଟ୍ରବେରୀ ସବୁ ସୁନାବେଡାରେ ଚାଷ କରାଯାଉଥିବା ଜାଣି ସେ ଖୁସି ହୋଇ ଚାଷି ମାନଙ୍କୁ ଷ୍ଟ୍ରବେରୀ ଚାଷ ବିଷୟରେ ପଚାରି ବୁଝିଥିଲେ। ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ଅଧିକାରୀ ହିମାଂଶୁ ମହାପାତ୍ର ମନ୍ତ୍ରୀଙ୍କୁ ସୁନାବେଡାରେ କେମିତି ଆଉ କେତେ ଜଣ ଚାଷି ଏହି ଚାଷ କରିଛନ୍ତି ସେ ବିଷୟରେ କହିଥିଲେ। ଏହା ପରେ ମନ୍ତ୍ରୀଙ୍କୁ ଷ୍ଟ୍ରବେରୀ ଜୁସ୍ ଦେଇଥିଲେ ସୁନାବେଡାର ଚାଷି କଲିରାମ ସୁଆର। ମନ୍ତ୍ରୀଙ୍କୁ ଷ୍ଟ୍ରବେରୀ ପ୍ୟାକେଟ ଦେଇ ବହୁତ ଖୁସି ଲାଗୁଥିବା କହିଛନ୍ତି କଲିରାମ।ଆଦିବାସୀ ବହୁଳ ସୁନାବେଡା ଅଭୟାରଣ୍ୟ ଭିତରର ସରକାରଙ୍କ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁଥିବା ଜାଣି ଉଭୟ ଚାଷି ଓ ଅଧିକାରୀ ମାନଙ୍କ କାମକୁ ମନ୍ତ୍ରୀ ରୀତା ସାହୁ ପ୍ରଶଂସା କରିଥିଲେ।